ସଙ୍କଟ ସମୟରେ ସହାୟତା ପାଇଁ ପ୍ରାର୍ଥନା
ପ୍ରଧାନ ବାଦ୍ୟକର ନିମନ୍ତେ, ତାରଯୁକ୍ତ ଯନ୍ତ୍ରରେ ଶିମିନୀତ୍‍ ସ୍ୱରରେ ଦାଉଦଙ୍କର ଗୀତ।
 
୧ ହେ ସଦାପ୍ରଭୁ, ତୁମ୍ଭ କ୍ରୋଧରେ ମୋତେ ଅନୁଯୋଗ କର ନାହିଁ,
କିଅବା ତୁମ୍ଭ ପ୍ରଚଣ୍ଡ ବିରକ୍ତିରେ ମୋତେ ଶାସନ କର ନାହିଁ।
୨ ହେ ସଦାପ୍ରଭୁ, ମୋତେ ଦୟା କର; କାରଣ ମୁଁ ଶୁଷ୍କ ହୋଇ ଯାଇଅଛି;
ହେ ସଦାପ୍ରଭୁ, ମୋତେ ସୁସ୍ଥ କର; କାରଣ ମୋ’ର ଅସ୍ଥିସବୁ ବ୍ୟାକୁଳ ହେଉଅଛି।
୩ ମୋହର ପ୍ରାଣ ମଧ୍ୟ ଅତ୍ୟନ୍ତ ବ୍ୟାକୁଳ ହେଉଅଛି;
ପୁଣି, ତୁମ୍ଭେ, ହେ ସଦାପ୍ରଭୁ, ଆଉ କେତେ କାଳ ?
୪ ହେ ସଦାପ୍ରଭୁ, ଫେର, ମୋ’ ପ୍ରାଣକୁ ଉଦ୍ଧାର କର;
ଆପଣା ସ୍ନେହପୂର୍ଣ୍ଣ କରୁଣା ସକାଶୁ ମୋତେ ପରିତ୍ରାଣ କର।
୫ କାରଣ ମରଣାବସ୍ଥାରେ ତୁମ୍ଭ ବିଷୟକ କୌଣସି ସ୍ମରଣ ନ ଥାଏ;
ପାତାଳରେ କିଏ ତୁମ୍ଭକୁ ଧନ୍ୟବାଦ ଦେବ ?
୬ ମୁଁ ଆପଣା କାତରୋକ୍ତିରେ କ୍ଳାନ୍ତ ହୋଇଅଛି;
ପ୍ରତି ରାତ୍ରି ମୁଁ ଆପଣା ଶଯ୍ୟା ଭସାଏ,
ମୁଁ ଲୋତକରେ ଆପଣା ବିଛଣା ତିନ୍ତାଏ।
୭ ଦୁଃଖ ସକାଶୁ ମୋର ଚକ୍ଷୁ କ୍ଷୀଣ ହୋଇଯାଏ;
ମୋହର ସକଳ ବିପକ୍ଷଙ୍କ ସକାଶୁ ତାହା ଜୀର୍ଣ୍ଣ ହୋଇଯାଏ।
୮ ହେ ଅଧର୍ମାଚାରୀ ସମସ୍ତେ, ମୋହର ନିକଟରୁ ଦୂର ହୁଅ;
କାରଣ ସଦାପ୍ରଭୁ ମୋ’ ରୋଦନର ରବ ଶୁଣିଅଛନ୍ତି।
୯ ସଦାପ୍ରଭୁ ମୋହର ନିବେଦନ ଶୁଣିଅଛନ୍ତି;
ସଦାପ୍ରଭୁ ମୋହର ପ୍ରାର୍ଥନା ଗ୍ରହଣ କରିବେ।
୧୦ ମୋହର ଶତ୍ରୁ ସମସ୍ତେ ଲଜ୍ଜିତ ଓ ଅତ୍ୟନ୍ତ ବ୍ୟାକୁଳ ହେବେ;
ସେମାନେ ଫେରିଯିବେ, ସେମାନେ ହଠାତ୍‍ ଲଜ୍ଜିତ ହେବେ।