୩୪
ମଙ୍ଗଳମୟ ସଦାପ୍ରଭୁଙ୍କ ପ୍ରଶଂସା
ଦାଉଦଙ୍କ ଗୀତ; ଯେତେବେଳେ ସେ ଅବୀମେଲକ୍‍ ସାକ୍ଷାତରେ ଆପଣା ମତି ବଦଳାଇବାରୁ ତାହା ଦ୍ୱାରା ତାଡ଼ିତ ହୋଇ ପ୍ରସ୍ଥାନ କରିଥିଲେ, ସେହି ସମୟର ଗୀତ।
୧ ମୁଁ ସର୍ବଦା ସଦାପ୍ରଭୁଙ୍କର ଧନ୍ୟବାଦ କରିବି;
ମୋ’ ମୁଖରେ ନିରନ୍ତର ତାହାଙ୍କର ପ୍ରଶଂସା ହେବ।
୨ ମୋହର ପ୍ରାଣ ସଦାପ୍ରଭୁଙ୍କଠାରେ ଦର୍ପ କରିବ;
ନମ୍ର ଲୋକମାନେ ତାହା ଶୁଣି ଆନନ୍ଦିତ ହେବେ।
୩ ଆହେ, ମୋ’ ସଙ୍ଗେ ସଦାପ୍ରଭୁଙ୍କ ମାହାତ୍ମ୍ୟ ପ୍ରକାଶ କର,
ଆସ, ଆମ୍ଭେମାନେ ଏକ ସଙ୍ଗେ ତାହାଙ୍କ ନାମର ପ୍ରତିଷ୍ଠା କରୁ।
୪ ମୁଁ ସଦାପ୍ରଭୁଙ୍କଠାରେ ପ୍ରାର୍ଥନା କଲି ଓ ସେ ମୋତେ ଉତ୍ତର ଦେଲେ,
ପୁଣି, ମୋହର ସବୁ ଭୟରୁ ମୋତେ ଉଦ୍ଧାର କଲେ।
୫ ସେମାନେ ତାହାଙ୍କ ପ୍ରତି ଦୃଷ୍ଟିପାତ କରି ଦୀପ୍ତିମାନ୍‍ ହେଲେ;
ଆଉ, ସେମାନଙ୍କ ମୁଖ କେବେ ହେଁ ବିବର୍ଣ୍ଣ ନୋହିବ।
୬ ଏହି ଦୁଃଖୀଲୋକ କାକୂକ୍ତି କଲା, ପୁଣି, ସଦାପ୍ରଭୁ ତାହାର କଥା ଶୁଣିଲେ
ଓ ତାହାର ସକଳ ସଙ୍କଟରୁ ତାହାକୁ ଉଦ୍ଧାର କଲେ।
୭ ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି,
ତାହାଙ୍କର ଦୂତ ସେମାନଙ୍କ ଚାରିଆଡ଼େ ଛାଉଣି କରି ସେମାନଙ୍କୁ ଉଦ୍ଧାର କରନ୍ତି।
୮ ଆହେ, ସଦାପ୍ରଭୁ ଯେ ମଙ୍ଗଳମୟ, ଏହା ଆସ୍ୱାଦନ କରି ଦେଖ;
ଯେ ତାହାଙ୍କର ଶରଣାଗତ, ସେ ଲୋକ ଧନ୍ୟ।
୯ ହେ ତାହାଙ୍କର ସଦ୍‍ଭକ୍ତମାନେ, ସଦାପ୍ରଭୁଙ୍କୁ ଭୟ କର;
କାରଣ ଯେଉଁମାନେ ତାହାଙ୍କୁ ଭୟ କରନ୍ତି, ସେମାନଙ୍କର କୌଣସି ଅଭାବ ନାହିଁ।
୧୦ ଯୁବା ସିଂହମାନଙ୍କର ଅଭାବ ଓ କ୍ଷୁଧାରୁ କ୍ଳେଶ ହୁଏ;
ମାତ୍ର ଯେଉଁମାନେ ସଦାପ୍ରଭୁଙ୍କର ଅନ୍ୱେଷଣ କରନ୍ତି, ସେମାନଙ୍କର କୌଣସି ମଙ୍ଗଳ ବିଷୟ ଅଭାବ ନୋହିବ।
୧୧ ହେ ବାଳକମାନେ, ଆସ, ମୋ’ କଥା ଶୁଣ;
ମୁଁ ତୁମ୍ଭମାନଙ୍କୁ ସଦାପ୍ରଭୁଙ୍କ ଭୟ ଶିଖାଇବି।
୧୨ ଯେ ଜୀବନ ବାଞ୍ଛା କରେ
ଓ ମଙ୍ଗଳ ଦେଖିବା ପାଇଁ ଦୀର୍ଘାୟୁ ପ୍ରିୟ ମଣେ ଏପରି ବ୍ୟକ୍ତି କିଏ ?
୧୩ ତୁମ୍ଭେ ହିଂସାରୁ ଆପଣା ଜିହ୍ୱା ଓ
ଛଳବାକ୍ୟରୁ ଆପଣା ଓଷ୍ଠାଧର ରକ୍ଷା କର।
୧୪ ମନ୍ଦତାରୁ ଦୂର ହୁଅ ଓ ସୁକର୍ମ କର;
ଶାନ୍ତି ଅନ୍ୱେଷଣ କର ଓ ତହିଁର ଅନୁଗାମୀ ହୁଅ।
୧୫ ଧାର୍ମିକମାନଙ୍କ ପ୍ରତି ସଦାପ୍ରଭୁଙ୍କର ଦୃଷ୍ଟି ଅଛି
ଓ ସେମାନଙ୍କ ଆର୍ତ୍ତନାଦ ପ୍ରତି ତାହାଙ୍କର କର୍ଣ୍ଣ ଅଛି।
୧୬ ପୃଥିବୀରୁ କୁକର୍ମକାରୀମାନଙ୍କ ସ୍ମରଣ ଉଚ୍ଛିନ୍ନ କରିବା
ପାଇଁ ସେମାନଙ୍କ ପ୍ରତିକୂଳରେ ସଦାପ୍ରଭୁଙ୍କ ମୁଖ ଥାଏ।
୧୭ ଧାର୍ମିକମାନେ କ୍ରନ୍ଦନ କରନ୍ତେ, ସଦାପ୍ରଭୁ ଶୁଣିଲେ
ଓ ସେମାନଙ୍କ ସର୍ବ ସଙ୍କଟରୁ ସେମାନଙ୍କୁ ଉଦ୍ଧାର କଲେ।
୧୮ ସଦାପ୍ରଭୁ ଭଗ୍ନାନ୍ତଃକରଣମାନଙ୍କର ନିକଟବର୍ତ୍ତୀ ଅଟନ୍ତି
ଓ ସେ ଚୂର୍ଣ୍ଣମନାମାନଙ୍କୁ ତ୍ରାଣ କରନ୍ତି।
୧୯ ଧାର୍ମିକର ବିପଦ ଅନେକ;
ମାତ୍ର ସେହି ସବୁରୁ ସଦାପ୍ରଭୁ ତାହାକୁ ଉଦ୍ଧାର କରନ୍ତି।
୨୦ ସେ ତାହାର ଅସ୍ଥିସକଳ ରକ୍ଷା କରନ୍ତି;
ତହିଁ ମଧ୍ୟରୁ ଖଣ୍ଡେ ହେଲେ ଭଗ୍ନ ହୁଏ ନାହିଁ।
୨୧ ଦୁଷ୍ଟତା ଦୁଷ୍ଟକୁ ସଂହାର କରିବ;
ଧାର୍ମିକର ଘୃଣାକାରୀ ଦୋଷୀକୃତ ହେବ।
୨୨ ସଦାପ୍ରଭୁ ଆପଣା ଦାସଗଣର ପ୍ରାଣ ମୁକ୍ତ କରନ୍ତି;
ପୁଣି, ତାହାଙ୍କର ଶରଣାଗତ କେହି ଦୋଷୀକୃତ ହେବେ ନାହିଁ।