୫୦
ସତ୍ୟ ଉପାସନା
ଆସଫର ଗୀତ।
 
୧ ପରମେଶ୍ୱର, ସଦାପ୍ରଭୁ ପରମେଶ୍ୱର
କଥା କହିଅଛନ୍ତି ଓ ସୂର୍ଯ୍ୟର ଉଦୟ-ସ୍ଥାନଠାରୁ ତହିଁର ଅସ୍ତ-ସ୍ଥାନ ପର୍ଯ୍ୟନ୍ତ
ସେ ପୃଥିବୀକୁ ଆହ୍ୱାନ କରିଅଛନ୍ତି।
୨ ସୌନ୍ଦର୍ଯ୍ୟର ସିଦ୍ଧି ସ୍ୱରୂପ ସିୟୋନଠାରୁ ପରମେଶ୍ୱର
ପ୍ରକାଶିତ ହୋଇଅଛନ୍ତି।
୩ ଆମ୍ଭମାନଙ୍କର ପରମେଶ୍ୱର ଆସିବେ ଓ ନୀରବ
ରହିବେ ନାହିଁ;
ତାହାଙ୍କ ସମ୍ମୁଖରେ ଅଗ୍ନି ଗ୍ରାସ କରିବ ଓ ତାହାଙ୍କ ଚତୁର୍ଦ୍ଦିଗ
ଅତ୍ୟନ୍ତ ଝଡ଼ମୟ ହେବ।
୪ ସେ ଆପଣା ଲୋକଙ୍କୁ ବିଚାର କରିବା ନିମନ୍ତେ
ଉପରିସ୍ଥ ସ୍ୱର୍ଗକୁ ଓ ପୃଥିବୀକୁ ଡାକିବେ;
୫ “ଯେଉଁମାନେ ବଳିଦାନ ଦ୍ୱାରା ଆମ୍ଭ ସଙ୍ଗେ ନିୟମ
କରିଅଛନ୍ତି, ଆମର ସେହି ସଦ୍‍ଭକ୍ତଗଣଙ୍କୁ ଆମ୍ଭ ନିକଟରେ
ଏକତ୍ର କର।”
୬ ପୁଣି, ସ୍ୱର୍ଗ ତାହାଙ୍କର ଧର୍ମ ପ୍ରକାଶ କରିବ; କାରଣ
ପରମେଶ୍ୱର ସ୍ୱୟଂ ବିଚାରକର୍ତ୍ତା।
[ସେଲା]
୭ “ହେ ଆମ୍ଭର ଲୋକମାନେ, ଶୁଣ, ଆମ୍ଭେ କଥା କହିବା;
ହେ ଇସ୍ରାଏଲ ଶୁଣ, ଆମ୍ଭେ ତୁମ୍ଭ ବିଷୟରେ ସାକ୍ଷ୍ୟ
ଦେବା; ଆମ୍ଭେ ହିଁ ପରମେଶ୍ୱର, ତୁମ୍ଭର ପରମେଶ୍ୱର,
୮ ଆମ୍ଭେ ତୁମ୍ଭର ସବୁ ହୋମବଳି ସକାଶୁ ତୁମ୍ଭକୁ ଭର୍ତ୍ସନା
କରିବା ନାହିଁ;
ଆଉ, ତୁମ୍ଭର ହୋମବଳିସବୁ ନିତ୍ୟ ଆମ୍ଭ ସମ୍ମୁଖରେ
ଅଛି।
୯ ଆମ୍ଭେ ତୁମ୍ଭ ଗୃହରୁ କୌଣସି ବୃଷ କିମ୍ଵା ତୁମ୍ଭ ଖୁଆଡ଼ରୁ
ଛାଗର ବଳିଦାନ ନେବା ନାହିଁ।
୧୦ କାରଣ ବନସ୍ଥ ପ୍ରତ୍ୟେକ ଜନ୍ତୁ ଓ ସହସ୍ର ସହସ୍ର
ପର୍ବତସ୍ଥ ପଶୁ ଆମ୍ଭର।
୧୧ ଆମ୍ଭେ ପର୍ବତମାନର ସମସ୍ତ ପକ୍ଷୀକୁ ଜାଣୁ ଓ ବିଲର
ପଶୁସବୁ ଆମ୍ଭର।
୧୨ ଆମ୍ଭେ କ୍ଷୁଧିତ ହେଲେ, ତୁମ୍ଭକୁ ଜଣାଇବା ନାହିଁ;
କାରଣ ଜଗତ ଓ ତହିଁର ପୂର୍ଣ୍ଣତା ଆମ୍ଭର।
୧୩ ଆମ୍ଭେ କ’ଣ ବୃଷମାଂସ ଭୋଜନ କରିବା, ଅବା
ଛାଗରକ୍ତ ପାନ କରିବା ?
୧୪ ତୁମ୍ଭେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦରୂପ
ବଳି ଉତ୍ସର୍ଗ କର ଓ ସର୍ବୋପରିସ୍ଥଙ୍କ ଉଦ୍ଦେଶ୍ୟରେ ଆପଣା ମାନତ ପୂର୍ଣ୍ଣ କର;
୧୫ ପୁଣି, ସଙ୍କଟ ଦିନରେ ଆମ୍ଭକୁ ଡାକ;
ଆମ୍ଭେ ତୁମ୍ଭକୁ ଉଦ୍ଧାର କରିବା, ଆଉ ତୁମ୍ଭେ ଆମ୍ଭର
ମହିମା ପ୍ରକାଶ କରିବ।”
୧୬ ମାତ୍ର ଦୁଷ୍ଟକୁ ପରମେଶ୍ୱର କହନ୍ତି, “ଆମ୍ଭର ବିଧି
ପ୍ରଚାର କରିବାକୁ ଓ ତୁମ୍ଭେ ଯେ ଆମ୍ଭର ନିୟମ ଆପଣା
ମୁଖରେ ନେଇଅଛ, ତୁମ୍ଭର କି ଅଧିକାର ?
୧୭ କାରଣ ତୁମ୍ଭେ ଶିକ୍ଷା ଘୃଣା କରୁଅଛ ଓ ଆମ୍ଭ ବାକ୍ୟ
ଆପଣା ପଛେ ପକାଇ ଦେଉଅଛ।
୧୮ ଚୋରକୁ ଦେଖିଲେ, ତୁମ୍ଭେ ତାହା ସଙ୍ଗେ ସମ୍ମତ
ହୋଇଅଛ ଓ ବ୍ୟଭିଚାରୀମାନଙ୍କର ସହଭାଗୀ ହୋଇଅଛ।
୧୯ ତୁମ୍ଭେ ମନ୍ଦ ବିଷୟରେ ଆପଣା ମୁଖ ବଢ଼ାଉଅଛ
ଓ ତୁମ୍ଭର ଜିହ୍ୱା ପ୍ରବଞ୍ଚନା କଳ୍ପନା କରେ।
୨୦ ତୁମ୍ଭେ ଆପଣା ଭାଇ ବିରୁଦ୍ଧରେ ବସି କଥା କହୁଅଛ;
ତୁମ୍ଭେ ଆପଣା ମାତୃପୁତ୍ରର ନିନ୍ଦା କରୁଅଛ।
୨୧ ତୁମ୍ଭେ ଏହିସବୁ କରି ଆସିଅଛ ଓ ଆମ୍ଭେ ନୀରବ
ହୋଇ ରହିଅଛୁ;
ତହିଁରେ ଆମ୍ଭେ ସର୍ବତୋଭାବେ ତୁମ୍ଭ ପରି ବୋଲି ତୁମ୍ଭେ
ଅନୁମାନ କରିଅଛ;
ମାତ୍ର ଆମ୍ଭେ ତୁମ୍ଭକୁ ଅନୁଯୋଗ କରିବା ଓ ତାହାସବୁ
ତୁମ୍ଭ ସାକ୍ଷାତରେ ସଜାଇ ରଖିବା।
୨୨ ହେ ପରମେଶ୍ୱରଙ୍କୁ ପାସୋରିବା ଲୋକମାନେ,
ତୁମ୍ଭେମାନେ ଏହା ବିବେଚନା କର,
ନୋହିଲେ ଆମ୍ଭେ ତୁମ୍ଭମାନଙ୍କୁ ବିଦୀର୍ଣ୍ଣ କରିବା, ପୁଣି,
ଉଦ୍ଧାର କରିବାକୁ କେହି ନ ଥିବ।
୨୩ ଯେଉଁ ଜନ ଧନ୍ୟବାଦରୂପ ବଳି ଉତ୍ସର୍ଗ କରେ, ସେ
ଆମ୍ଭକୁ ଗୌରବ ଦିଏ;
ଯେଉଁ ଜନ ଆପଣା ଗତି ସରଳ କରେ, ତାହାକୁ ଆମ୍ଭେ
ପରମେଶ୍ୱରଙ୍କ ପରିତ୍ରାଣ ଦେଖାଇବା।”