୬୧
ସୁରକ୍ଷା ପାଇଁ ପ୍ରାର୍ଥନା
ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ଗୀତ।
 
୧ ହେ ପରମେଶ୍ୱର, ମୋହର କାକୂକ୍ତି ଶୁଣ;
ମୋ’ ପ୍ରାର୍ଥନାରେ ମନୋଯୋଗ କର।
୨ ମୋ’ ମନ ଉଦ୍‍ବିଗ୍ନ ହେବା ବେଳେ ମୁଁ ପୃଥିବୀର ପ୍ରାନ୍ତରୁ ତୁମ୍ଭକୁ ଡାକିବି;
ମୋ’ଠାରୁ ଉଚ୍ଚତର ଶୈଳକୁ ମୋତେ ନେଇଯାଅ।
୩ କାରଣ ତୁମ୍ଭେ ମୋ’ ନିମନ୍ତେ ଆଶ୍ରୟ ଓ
ଶତ୍ରୁଠାରୁ ଦୃଢ଼ ଦୁର୍ଗ ସ୍ୱରୂପ ହୋଇଅଛ।
୪ ମୁଁ ସଦାକାଳ ତୁମ୍ଭ ତମ୍ବୁରେ ବାସ କରିବି;
ମୁଁ ତୁମ୍ଭ ପକ୍ଷର ଉହାଡ଼ରେ ଆଶ୍ରୟ ନେବି।
୫ କାରଣ ହେ ପରମେଶ୍ୱର, ତୁମ୍ଭେ ମୋହର ମାନତସବୁ ଶୁଣିଅଛ;
ତୁମ୍ଭେ ଆପଣା ନାମର ଭୟକାରୀମାନଙ୍କ ଅଧିକାର ଆମ୍ଭକୁ ଦେଇଅଛ।
୬ ତୁମ୍ଭେ ରାଜାଙ୍କ ଆୟୁ ବୃଦ୍ଧି କରିବ;
ତାଙ୍କ ବର୍ଷ ଅନେକ ପୁରୁଷାନୁକ୍ରମ ତୁଲ୍ୟ ହେବ।
୭ ସେ ସଦାକାଳ ପରମେଶ୍ୱରଙ୍କ ସମ୍ମୁଖରେ ବାସ କରିବେ;
ତାଙ୍କ ରକ୍ଷା ନିମନ୍ତେ ସ୍ନେହପୂର୍ଣ୍ଣ କରୁଣା ଓ ସତ୍ୟତା ପ୍ରସ୍ତୁତ କର।
୮ ତହୁଁ ମୁଁ ସଦାକାଳ ତୁମ୍ଭ ନାମ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି
ଓ ଦିନକୁ ଦିନ ଆପଣା ମାନତ ପୂର୍ଣ୍ଣ କରିବି।