୭୫
ପରମେଶ୍ୱର ବିଚାରକର୍ତ୍ତା
ପ୍ରଧାନ ବାଦ୍ୟକର ନିମନ୍ତେ ଏକ ଗୀତ; ଅଲ୍‍-ତଶ୍‍ହେତ୍‍ ସ୍ୱରରେ ଆସଫର ଗୀତ।
 
୧ ହେ ପରମେଶ୍ୱର, ଆମ୍ଭେମାନେ ତୁମ୍ଭଙ୍କୁ ଧନ୍ୟବାଦ ଦେଉଅଛୁ;
ଆମ୍ଭେମାନେ ତୁମ୍ଭଙ୍କୁ ଧନ୍ୟବାଦ ଦେଉଅଛୁ, କାରଣ ତୁମ୍ଭ ନାମ ନିକଟବର୍ତ୍ତୀ;
ଲୋକମାନେ ତୁମ୍ଭର ଆଶ୍ଚର୍ଯ୍ୟକ୍ରିୟାସକଳ ବର୍ଣ୍ଣନା କରନ୍ତି।
୨ ଆମ୍ଭେ ନିରୂପିତ ସମୟ ପ୍ରାପ୍ତ ହେଲେ ଯଥାର୍ଥ ରୂପେ ବିଚାର କରିବା।
୩ ପୃଥିବୀ ଓ ତନ୍ନିବାସୀ ସମସ୍ତେ ତରଳି ଯାଉଅଛନ୍ତି;
ଆମ୍ଭେ ତହିଁର ସ୍ତମ୍ଭସକଳ ସ୍ଥାପନ କରିଅଛୁ। [ସେଲା]
୪ ଆମ୍ଭେ ଗର୍ବୀକୁ କହିଲୁ, “ଗର୍ବାଚରଣ କର ନାହିଁ,”
ଆମ୍ଭେ ଦୁଷ୍ଟକୁ କହିଲୁ, “ଶୃଙ୍ଗ ଉଠାଅ ନାହିଁ;
୫ ତୁମ୍ଭମାନଙ୍କ ଶୃଙ୍ଗ ଊର୍ଦ୍ଧ୍ୱକୁ ଉଠାଅ ନାହିଁ;
ଶକ୍ତଗ୍ରୀବ ହୋଇ କଥା କୁହ ନାହିଁ।”
୬ କାରଣ ପୂର୍ବ ଦିଗରୁ, କିମ୍ବା ପଶ୍ଚିମ ଦିଗରୁ,
କିଅବା ଦକ୍ଷିଣ ଦିଗରୁ ଉନ୍ନତି ଆସେ ନାହିଁ।
୭ ମାତ୍ର ପରମେଶ୍ୱର ବିଚାରକର୍ତ୍ତା ଅଟନ୍ତି;
ସେ ଏକକୁ ଅବନତ ଓ ଅନ୍ୟକୁ ଉନ୍ନତ କରନ୍ତି।
୮ ଯେହେତୁ ସଦାପ୍ରଭୁଙ୍କ ହସ୍ତରେ ଏକ ପାନପାତ୍ର ଅଛି
ଓ ଦ୍ରାକ୍ଷାରସରୁ ଫେଣ ବାହାରୁ ଅଛି;
ତାହା ମିଶ୍ରିତ ଦ୍ରବ୍ୟରେ ପୂର୍ଣ୍ଣ ଓ ସେ ତହିଁରୁ ଢାଳି ଦିଅନ୍ତି;
ନିଶ୍ଚୟ ପୃଥିବୀର ଦୁଷ୍ଟଲୋକ ସମସ୍ତେ ତହିଁର ଖାଦ ନିଗାଡ଼ି ପିଇବେ।
୯ ମାତ୍ର ମୁଁ ସଦାକାଳ ପ୍ରଚାର କରିବି,
ମୁଁ ଯାକୁବର ପରମେଶ୍ୱରଙ୍କର ପ୍ରଶଂସା ଗାନ କରିବି।
୧୦ “ଆମ୍ଭେ ଦୁଷ୍ଟମାନଙ୍କ ଶୃଙ୍ଗସବୁ କାଟି ପକାଇବା।
ମାତ୍ର ଧାର୍ମିକମାନଙ୍କ ଶୃଙ୍ଗ ଉଚ୍ଚୀକୃତ ହେବ।”