୭୭
ଦୁର୍ଦ୍ଦଶା ସମୟରେ ଆଶ୍ୱାସନା
ପ୍ରଧାନ ବାଦ୍ୟକର ନିମନ୍ତେ ଯିଦୂଥୂନର ରୀତି ଅନୁସାରେ ଆସଫର ଗୀତ।
 
୧ ମୁଁ ପରମେଶ୍ୱରଙ୍କ ନିକଟରେ ସ୍ୱରବରେ କାକୂକ୍ତି କରିବି;
ପରମେଶ୍ୱରଙ୍କ ନିକଟରେ ହିଁ ସ୍ୱରବରେ କାକୂକ୍ତି କରିବି, ତହିଁରେ ସେ ମୋ’ ପ୍ରତି କର୍ଣ୍ଣପାତ କରିବେ।
୨ ମୁଁ ଆପଣା ସଙ୍କଟ ଦିନରେ ପ୍ରଭୁଙ୍କୁ ଅନ୍ୱେଷଣ କଲି;
ରାତ୍ରିକାଳରେ ମୋହର ହସ୍ତ ବିସ୍ତାରିତ ରହିଲା ଓ ସଙ୍କୁଚିତ ନୋହିଲା;
ମୋହର ପ୍ରାଣ ପ୍ରବୋଧ ମାନିବାକୁ ଅସମ୍ମତ ହେଲା।
୩ ମୁଁ ପରମେଶ୍ୱରଙ୍କୁ ସ୍ମରଣ କରି ଅସ୍ଥିର ହେଉଅଛି;
ଭାବନା କରି କରି ମୋହର ଆତ୍ମା ମୂର୍ଚ୍ଛିତ ହୁଏ। [ସେଲା]
୪ ତୁମ୍ଭେ ମୋ’ ଚକ୍ଷୁକୁ ଉଜାଗର କରି ରଖୁଅଛ;
ମୁଁ ଏପରି ବ୍ୟାକୁଳ ଯେ, କଥା କହି ପାରୁ ନାହିଁ।
୫ ମୁଁ ପୂର୍ବକାଳର ଦିନସବୁ,
ପୁରାତନ କାଳର ବର୍ଷସବୁ ଭାବନା କରିଅଛି।
୬ ମୁଁ ଆପଣା ରାତ୍ରିକାଳୀନ ଗୀତ ସ୍ମରଣ କରୁଅଛି;
ମୁଁ ଆପଣା ମନେ ମନେ ଧ୍ୟାନ କରୁଅଛି;
ପୁଣି, ମୋହର ଆତ୍ମା ଯତ୍ନରେ ଅନୁସନ୍ଧାନ କଲା।
୭ ପ୍ରଭୁ କ’ଣ ସଦାକାଳ ପରିତ୍ୟାଗ କରିବେ ?
ସେ କ’ଣ ଆଉ ସୁପ୍ରସନ୍ନ ହେବେ ନାହିଁ ?
୮ ତାହାଙ୍କ ଦୟା କ’ଣ ଚିରକାଳ ଲୁପ୍ତ ହେଲା ?
ତାହାଙ୍କ ପ୍ରତିଜ୍ଞା କ’ଣ ଚିରକାଳ ବିଫଳ ହୁଏ ?
୯ ପରମେଶ୍ୱର କ’ଣ କୃପାମୟ ହେବାକୁ ପାସୋରି ଅଛନ୍ତି ?
ସେ କ’ଣ କ୍ରୋଧରେ ଆପଣା କରୁଣା ରୁଦ୍ଧ କରିଅଛନ୍ତି ? [ସେଲା]
୧୦ ତହୁଁ ମୁଁ କହିଲି, “ଏହା ହିଁ ମୋହର ଦୁର୍ବଳତା;
ମାତ୍ର ମୁଁ ସର୍ବୋପରିସ୍ଥଙ୍କ ଦକ୍ଷିଣ ହସ୍ତର ବର୍ଷସକଳ ସ୍ମରଣ କରିବି।”
୧୧ ମୁଁ ସଦାପ୍ରଭୁଙ୍କ କର୍ମସବୁ ଉଲ୍ଲେଖ କରିବି;
ମୁଁ ପୂର୍ବକାଳର ତୁମ୍ଭ ଆଶ୍ଚର୍ଯ୍ୟକ୍ରିୟାସବୁ ସ୍ମରଣ କରିବି।
୧୨ ମୁଁ ତୁମ୍ଭର ସମସ୍ତ କର୍ମ ଚିନ୍ତା କରିବି ଓ
ତୁମ୍ଭର କ୍ରିୟାସକଳ ଧ୍ୟାନ କରିବି।
୧୩ ହେ ପରମେଶ୍ୱର, ତୁମ୍ଭର ପଥ ପବିତ୍ର ଅଟେ;* ତୁମ୍ଭର ପଥ ପବିତ୍ର ଅଟେ; ଅର୍ଥାତ୍ ପବିତ୍ରତାରେ ତୁମ୍ଭର ପଥ ଥାଏ;
ପରମେଶ୍ୱରଙ୍କ ତୁଲ୍ୟ ମହାନ ପରମେଶ୍ୱର କିଏ ?
୧୪ ତୁମ୍ଭେ ଆଶ୍ଚର୍ଯ୍ୟ-କର୍ମକର୍ତ୍ତା ପରମେଶ୍ୱର;
ତୁମ୍ଭେ ଗୋଷ୍ଠୀୟମାନଙ୍କ ମଧ୍ୟରେ ଆପଣା ପରାକ୍ରମ ଜ୍ଞାତ କରିଅଛ।
୧୫ ତୁମ୍ଭେ ନିଜ ବାହୁରେ ଆପଣା ଲୋକଙ୍କୁ,
ଯାକୁବ ଓ ଯୋଷେଫର ସନ୍ତାନଗଣକୁ ମୁକ୍ତ କରିଅଛ।
୧୬ ହେ ପରମେଶ୍ୱର, ସମୁଦ୍ର ତୁମ୍ଭଙ୍କୁ ଦେଖିଲା,
ସମୁଦ୍ର ତୁମ୍ଭଙ୍କୁ ଦେଖି ଭୀତ ହେଲା;
ମଧ୍ୟ ବାରିଧି କମ୍ପିତ ହେଲା।
୧୭ ମେଘମାଳ ଜଳବୃଷ୍ଟି କଲେ,
ଆକାଶ ଗର୍ଜ୍ଜନ କଲା;
ମଧ୍ୟ ତୁମ୍ଭର ତୀରସବୁ ବ୍ୟାପ୍ତ ହେଲା।
୧୮ ଘୂର୍ଣ୍ଣିବାୟୁରେ ତୁମ୍ଭର ବଜ୍ରଧ୍ୱନି ହେଲା;
ବିଜୁଳି ଜଗତକୁ ଆଲୁଅମୟ କଲା;
ପୃଥିବୀ କମ୍ପିତ ଓ ଥରହର ହେଲା।
୧୯ ସମୁଦ୍ରରେ ତୁମ୍ଭର ପଥ ଓ ମହାଜଳରାଶିରେ ତୁମ୍ଭର ମାର୍ଗ ଥିଲା,
ପୁଣି, ତୁମ୍ଭର ପଦଚିହ୍ନ ଜଣା ନୋହିଲା।
୨୦ ତୁମ୍ଭେ ମୋଶା ଓ ହାରୋଣର ହସ୍ତ ଦ୍ୱାରା ଆପଣା
ଲୋକମାନଙ୍କୁ ମେଷପଲ ପରି ଚଳାଇଲ।

*୭୭:୧୩ ତୁମ୍ଭର ପଥ ପବିତ୍ର ଅଟେ; ଅର୍ଥାତ୍ ପବିତ୍ରତାରେ ତୁମ୍ଭର ପଥ ଥାଏ;