୧୧୫
ଏକମାତ୍ର ସତ୍ୟ ପରମେଶ୍ୱର
୧ ହେ ସଦାପ୍ରଭୁ, ଆମ୍ଭମାନଙ୍କୁ ନୁହେଁ, ଆମ୍ଭମାନଙ୍କୁ ନୁହେଁ,
ମାତ୍ର ତୁମ୍ଭ ଦୟା ଓ ତୁମ୍ଭ ସତ୍ୟତା ସକାଶେ
ଆପଣା ନାମକୁ ଗୌରବାନ୍ୱିତ କର।
୨ “ଏବେ ସେମାନଙ୍କର ପରମେଶ୍ୱର କାହାନ୍ତି,” ଏହା
ଅନ୍ୟ ଦେଶୀୟମାନେ କାହିଁକି କହିବେ ?
୩ ମାତ୍ର ଆମ୍ଭମାନଙ୍କ ପରମେଶ୍ୱର ସ୍ୱର୍ଗରେ ଅଛନ୍ତି;
ଯାହା ତାହାଙ୍କର ଇଚ୍ଛା, ତାହା ସେ କରିଅଛନ୍ତି।
୪ ସେମାନଙ୍କର ପ୍ରତିମାସବୁ ରୂପା ଓ ସୁନା,
ମନୁଷ୍ୟର ହସ୍ତକୃତ କର୍ମ ଅଟେ।
୫ ସେମାନଙ୍କର ମୁଖ ଅଛି, ମାତ୍ର ସେମାନେ କଥା କହନ୍ତି ନାହିଁ;
ଚକ୍ଷୁ ସେମାନଙ୍କର ଅଛି, ମାତ୍ର ସେମାନେ ଦେଖନ୍ତି ନାହିଁ।
୬ ସେମାନଙ୍କର କର୍ଣ୍ଣ ଅଛି, ମାତ୍ର ସେମାନେ ଶୁଣନ୍ତି ନାହିଁ;
ନାସିକା ସେମାନଙ୍କର ଅଛି, ମାତ୍ର ସେମାନେ ଆଘ୍ରାଣ କରନ୍ତି ନାହିଁ;
୭ ସେମାନଙ୍କର ହସ୍ତ ଅଛି, ମାତ୍ର ସେମାନେ ସ୍ପର୍ଶ କରନ୍ତି ନାହିଁ;
ଚରଣ ସେମାନଙ୍କର ଅଛି, ମାତ୍ର ସେମାନେ ଗମନ କରନ୍ତି ନାହିଁ;
କିଅବା କଣ୍ଠରେ ସେମାନେ କଥା କହନ୍ତି ନାହିଁ।
୮ ସେମାନଙ୍କର ନିର୍ମାଣକାରୀମାନେ ଓ
ସେମାନଙ୍କଠାରେ ନିର୍ଭରକାରୀମାନେ ସେମାନଙ୍କ ତୁଲ୍ୟ ହେବେ।
୯ ହେ ଇସ୍ରାଏଲ, ତୁମ୍ଭେ ସଦାପ୍ରଭୁଙ୍କଠାରେ ନିର୍ଭର କର;
ସେ ସେମାନଙ୍କର ସହାୟ ଓ ସେମାନଙ୍କର ଢାଲ।
୧୦ ହେ ହାରୋଣ-ବଂଶ, ତୁମ୍ଭେମାନେ ସଦାପ୍ରଭୁଙ୍କଠାରେ ନିର୍ଭର କର;
ସେ ସେମାନଙ୍କର ସହାୟ ଓ ସେମାନଙ୍କର ଢାଲ।
୧୧ ହେ ସଦାପ୍ରଭୁଙ୍କ ଭୟକାରୀଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କଠାରେ ନିର୍ଭର କର;
ସେ ସେମାନଙ୍କର ସହାୟ ଓ ସେମାନଙ୍କର ଢାଲ।
୧୨ ସଦାପ୍ରଭୁ ଆମ୍ଭମାନଙ୍କ ବିଷୟରେ ମନୋଯୋଗୀ ହୋଇଅଛନ୍ତି; ସେ ଆମ୍ଭମାନଙ୍କୁ ଆଶୀର୍ବାଦ କରିବେ;
ସେ ଇସ୍ରାଏଲ-ବଂଶକୁ ଆଶୀର୍ବାଦ କରିବେ;
ସେ ହାରୋଣ-ବଂଶକୁ ଆଶୀର୍ବାଦ କରିବେ।
୧୩ ସେ ସଦାପ୍ରଭୁଙ୍କ ଭୟକାରୀ
ସାନ ଓ ବଡ଼ ସମସ୍ତଙ୍କୁ ଆଶୀର୍ବାଦ କରିବେ।
୧୪ ସଦାପ୍ରଭୁ ତୁମ୍ଭମାନଙ୍କୁ,
ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କ ସନ୍ତାନଗଣକୁ ଆହୁରି ଆହୁରି ବୃଦ୍ଧି କରନ୍ତୁ।
୧୫ ତୁମ୍ଭେମାନେ ସ୍ୱର୍ଗ ଓ ପୃଥିବୀର ସୃଷ୍ଟିକର୍ତ୍ତା
ସଦାପ୍ରଭୁଙ୍କର ଆଶୀର୍ବାଦପାତ୍ର ଅଟ।
୧୬ ସ୍ୱର୍ଗ ସଦାପ୍ରଭୁଙ୍କର ସ୍ୱର୍ଗ;
ମାତ୍ର ସେ ମନୁଷ୍ୟ-ସନ୍ତାନଗଣକୁ ପୃଥିବୀ ଦେଇଅଛନ୍ତି।
୧୭ ମୃତମାନେ, କିଅବା ଯେଉଁମାନେ ନୀରବ ସ୍ଥାନରେ ଅବରୋହଣ କରନ୍ତି,
ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କରନ୍ତି ନାହିଁ;
୧୮ ମାତ୍ର ଆମ୍ଭେମାନେ ଆଜିଠାରୁ ଅନନ୍ତକାଳ ପର୍ଯ୍ୟନ୍ତ
ସଦାପ୍ରଭୁଙ୍କର ଧନ୍ୟବାଦ କରିବା।
ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।