୧୨
ଏକ ନାରୀ ଏବଂ ପ୍ରକାଣ୍ଡ ସର୍ପ
୧ ପରେ ଆକାଶରେ ଗୋଟିଏ ମହାଲକ୍ଷଣ ଦେଖାଗଲା; ସୂର୍ଯ୍ୟ ପରିଧାନ କରିଥିବା ଜଣେ ସ୍ତ୍ରୀଲୋକ, ଏବଂ ତାହାଙ୍କ ପାଦ ତଳେ ଚନ୍ଦ୍ର ଓ ମସ୍ତକରେ ଦ୍ୱାଦଶ ନକ୍ଷତ୍ର ଖଚିତ ଗୋଟିଏ ମୁକୁଟ ।
୨ ସେ ଗର୍ଭବତୀ ହୋଇ ପ୍ରସବ ବେଦନାରେ ଆର୍ତ୍ତସ୍ୱର କରି ପ୍ରସବ କରିବା ନିମନ୍ତେ କଷ୍ଟ ପାଉଥିଲେ । ୩ ଆକାଶରେ ଆଉ ଗୋଟିଏ ଲକ୍ଷଣ ଦେଖାଗଲା; ଦେଖ, ଗୋଟିଏ ଲାଲ୍ ରଙ୍ଗର ପ୍ରକାଣ୍ଡ ସର୍ପ, ତାହାର ସପ୍ତ ମସ୍ତକ ଓ ଦଶ ଶିଙ୍ଗ, ପୁଣି, ମସ୍ତକ ଗୁଡ଼ିକ ଉପରେ ସପ୍ତ ମୁକୁଟ । ୪ ତାହାର ଲାଙ୍ଗୁଳ ଆକାଶର ତୃତୀୟାଂଶ ନକ୍ଷତ୍ରକୁ ଟାଣିଆଣି ପୃଥିବୀରେ ନିକ୍ଷେପ କଲା। ଆଉ ସେହି ସର୍ପ ପ୍ରସବ କରିବା ମାତ୍ର ତାହାଙ୍କ ସନ୍ତାନକୁ ଗ୍ରାସ କରିବା ନିମନ୍ତେ ତାହାଙ୍କ ସମ୍ମୁଖରେ ଠିଆ ହେଲା । ୫ ଯେ ସମସ୍ତ ଜାତିଙ୍କୁ ଲୌହ ଦଣ୍ଡରେ ଶାସନ କରିବେ, ଏପରି ପୁତ୍ରସନ୍ତାନଙ୍କୁ ସେହି ସ୍ତ୍ରୀଲୋକ ପ୍ରସବ କଲେ , ଆଉ ତାହାଙ୍କ ସନ୍ତାନ ଈଶ୍ୱର ଓ ତାହାଙ୍କ ସିହାଂସନ ନିକଟକୁ ଉଠାଇ ନିଆଗଲେ । ୬ ପୁଣି, ସେହି ସ୍ତ୍ରୀଲୋକ ପ୍ରାନ୍ତରକୁ ଦୌଡ଼ି ପଳାଇଗଲେ, ସେଠାରେ ଏକ ହଜାର ଦୁଇ ଶହ ଷାଠିଏ ଦିନ ପର୍ଯ୍ୟନ୍ତ ପ୍ରତିପାଳିତ ହେବା ପାଇଁ ତାହାଙ୍କ ନିମନ୍ତେ ଈଶ୍ୱରଙ୍କ ନିୟନ୍ତ୍ରଣରେ ପ୍ରସ୍ତୁତ ଗୋଟିଏ ସ୍ଥାନ ଥିଲା ।
ଶୟତାନକୁ ପୃଥିବୀରେ ନିକ୍ଷେପ
୭ ତତ୍ପରେ ସ୍ୱର୍ଗରେ ଯୁଦ୍ଧ ହେଲା, ମିଖାୟେଲ ଓ ତାହାଙ୍କ ଦୂତମାନେ ସେହି ସର୍ପ ସହିତ ଯୁଦ୍ଧ କଲେ | ସେଥିରେ ସେହି ସର୍ପ ଓ ତାହାର ଦୂତମାନେ ମଧ୍ୟ ଯୁଦ୍ଧ କଲେ, ୮ କିନ୍ତୁ ସେମାନେ ଜୟ କରି ପାରିଲେ ନାହିଁ, ପୁଣି, ସ୍ୱର୍ଗରେ ସେମାନେ ଆଉ ସ୍ଥାନ ପାଇଲେ ନାହିଁ । ୯ ସେଥିରେ ସର୍ବ ଜଗତର ପ୍ରବଞ୍ଚକ ଦିଆବଳ ଓ ଶୟତାନ ନାମରେ ଖ୍ୟାତ ଯେ ପ୍ରକାଣ୍ଡ ସର୍ପ, ସେହି ପୁରାତନ ନାଗ, ସେ ଆପଣା ଦୂତମାନଙ୍କ ସହିତ ପୃଥିବୀରେ ନିକ୍ଷିପ୍ତ ହେଲା । ୧୦ ସେତେବେଳେ ମୁଁ ସ୍ୱର୍ଗରେ ଏହି ଉଚ୍ଚ ସ୍ୱର ଶୁଣିଲି, ବର୍ତ୍ତମାନ ଆମ୍ଭମାନଙ୍କ ଈଶ୍ୱରଙ୍କ ପରିତ୍ରାଣ,ପରାକ୍ରମ ଓ ରାଜ୍ୟ ପୁଣି, ତାହାଙ୍କ ଖ୍ରୀଷ୍ଟଙ୍କର କର୍ତ୍ତାପଣ ଉପସ୍ଥିତ ହୋଇଅଛି, କାରଣ ଆମ୍ଭମାନଙ୍କ ଭାଇଗଣଙ୍କ ଅପବାଦକ, ଯେ ଦିବାରାତ୍ର ସେମାନଙ୍କ ବିରୁଦ୍ଧରେ ଆମ୍ଭମାନଙ୍କ ଈଶ୍ୱରଙ୍କ ଛାମୁରେ ଅଭିଯୋଗ କରୁଥିଲା, ସେ ତଳେ ନିକ୍ଷିପ୍ତ ହୋଇଅଛି । ୧୧ ଆଉ ସେମାନେ ମେଷଶାବକଙ୍କ ରକ୍ତ ଓ ଆପଣା ଆପଣା ସାକ୍ଷ୍ୟର ବାକ୍ୟ ଦ୍ୱାରା ତାହାକୁ ଜୟ କରିଅଛନ୍ତି, ପୁଣି, ସେମାନେ ମୃତ୍ୟୁ ପର୍ଯ୍ୟନ୍ତ ଆପଣା ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ କରି ନ ଥିଲେ । ୧୨ ଅତଏବ, ହେ ସ୍ୱର୍ଗ ଓ ତନ୍ନିବାସୀମାନେ, ଆନନ୍ଦ କର; ମାତ୍ର ହାୟ, ପୃଥିବୀ ଓ ସମୁଦ୍ର, ତୁମ୍ଭେମାନେ ସନ୍ତାପର ପାତ୍ର, କାରଣ ସମୟ ଅତି ଅଳ୍ପ ବୋଲି ଜାଣି ଦିଆବଳ(ଶୟତାନ) ଆପଣା ମହାକ୍ରୋଧରେ ତୁମ୍ଭମାନଙ୍କ ମଧ୍ୟକୁ ଓହ୍ଲାଇ ଆସିଅଛି । ୧୩ ସର୍ପ ଆପଣାକୁ ପୃଥିବୀରେ ନିକ୍ଷିପ୍ତ ହେବାର ଦେଖି ସେହି ପୁତ୍ରସନ୍ତାନ ପ୍ରସବକାରିଣୀ ସ୍ତ୍ରୀଲୋକଙ୍କୁ ତାଡ଼ନା କଲା । ୧୪ ସେଥିରେ ସେହି ସ୍ତ୍ରୀଲୋକ ଯେପରି ସର୍ପର ମୁଖରୁ ରକ୍ଷା ପାଇ ସାଢ଼େ ତିନି ବର୍ଷ ପର୍ଯ୍ୟନ୍ତ ପ୍ରତିପାଳିତ ହୁଅନ୍ତି, ଏଥି ନିମନ୍ତେ ପ୍ରାନ୍ତରସ୍ଥ ଆପଣା ସ୍ଥାନକୁ ଉଡ଼ିଯିଵା ପାଇଁ ତାହାଙ୍କୁ ବୃହତ୍ ଉତ୍କ୍ରୋଷ ପକ୍ଷୀର ଦୁଇଟି ଡେଣା ଦିଆ ହେଲା । ୧୫ ସେହି ସ୍ତ୍ରୀଲୋକଙ୍କୁ ଜଳସ୍ରୋତରେ ଭସାଇଦେବା ନିମନ୍ତେ ସର୍ପ ତାହାଙ୍କ ପଛରେ ଆପଣା ମୁଖରୁ ନଦୀ ପରି ଜଳ ଉଦ୍‌ଗାର କଲା । ୧୬ କିନ୍ତୁ ପୃଥିବୀ ଆପଣା ମୁଖ ଫିଟାଇ ସର୍ପର ମୁଖରୁ ଉଦ୍‌‌ଗାରିତ ନଦୀକୁ ଗ୍ରାସ କରି ସେହି ସ୍ତ୍ରୀଙ୍କୁ ସାହଯ୍ୟ କଲା । ୧୭ ସେଥିରେ ସର୍ପ ସ୍ତ୍ରୀଲୋକଙ୍କ ଉପରେ ମହାକ୍ରୁଦ୍ଧ ହୋଇ, ତାହାଙ୍କ ବଂଶର ଯେଉଁ ଅବଶିଷ୍ଟ ଲୋକମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି ଓ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦାନ କରନ୍ତି, ସେମାନଙ୍କ ସହିତ ଯୁଦ୍ଧ କରିବାକୁ ଚାଲିଗଲା; ୧୮ ଆଉ ସେ ସମୁଦ୍ରର ବାଲୁକା ଉପରେ ଠିଆ ହେଲା ।