୯୮
ସଦାପ୍ରଭୁ ହିଁ ଜଗତର ଶାସନକର୍ତ୍ତା
ଗୀତ।
 
୧ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର;
କାରଣ ସେ ଆଶ୍ଚର୍ଯ୍ୟ କର୍ମ କରିଅଛନ୍ତି;
ତାହାଙ୍କ ଦକ୍ଷିଣ ହସ୍ତ ଓ ତାହାଙ୍କ ପବିତ୍ର ବାହୁ ତାହାଙ୍କ ପକ୍ଷରେ ପରିତ୍ରାଣ ସାଧନ କରିଅଛି।
୨ ସଦାପ୍ରଭୁ ଆପଣା ପରିତ୍ରାଣ ଜଣାଇ ଅଛନ୍ତି;
ସେ ଅନ୍ୟ ଦେଶୀୟମାନଙ୍କ ଦୃଷ୍ଟିଗୋଚରରେ ଆପଣା ଧର୍ମ ପ୍ରକାଶ କରିଅଛନ୍ତି।
୩ ସେ ଇସ୍ରାଏଲ ବଂଶ ପକ୍ଷରେ ଆପଣା ଦୟା ଓ ବିଶ୍ୱସ୍ତତା ସ୍ମରଣ କରିଅଛନ୍ତି;
ପୃଥିବୀର ପ୍ରାନ୍ତସ୍ଥ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପରିତ୍ରାଣ ଦେଖିଅଛନ୍ତି।
୪ ସମୁଦାୟ ପୃଥିବୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦଧ୍ୱନି କର;
ଉଚ୍ଚ ଧ୍ୱନି କର, ଆନନ୍ଦ ଗାନ କର ଓ ପ୍ରଶଂସା ଗାନ କର।
୫ ବୀଣାଯନ୍ତ୍ରରେ, ବୀଣା ଓ ଏକତାନ ସ୍ୱରରେ
ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର।
୬ ତୂରୀ ଓ ଭେରୀ ନାଦରେ
ରାଜା ସଦାପ୍ରଭୁଙ୍କ ସମ୍ମୁଖରେ ଆନନ୍ଦଧ୍ୱନି କର।
୭ ସମୁଦ୍ର ଓ ତହିଁର ପୂର୍ଣ୍ଣତା,
ଜଗତ ଓ ତନ୍ନିବାସୀ ସମସ୍ତେ ଗର୍ଜ୍ଜନ କରନ୍ତୁ;
୮ ନଦ-ନଦୀଗଣ କରତାଳି ଦେଉନ୍ତୁ;
ପର୍ବତଗଣ ଏକସଙ୍ଗେ ଆନନ୍ଦଗାନ କରନ୍ତୁ;
୯ ସଦାପ୍ରଭୁଙ୍କ ସମ୍ମୁଖରେ ଗାନ କରନ୍ତୁ,
କାରଣ ସେ ପୃଥିବୀର ବିଚାର କରିବାକୁ ଆସୁଅଛନ୍ତି;
ସେ ଧର୍ମରେ ଜଗତର ଓ ନ୍ୟାୟରେ ଗୋଷ୍ଠୀବର୍ଗର ବିଚାର କରିବେ।