ଡୁବନ୍ ଦେଉ ଜଅନର୍ ମରନ୍
(ମାର୍କ ୬:୧୪-୨୯; ଲୁକ୍ ୯:୭-୯)
୧ସେବେଲେ ଗାଲିଲି ଦେସର୍ ସାସନ୍ କାରିଆ ଏରଦ୍, ଜିସୁର୍ ବିସଇ ସୁନ୍ଲା । ୨ସେ ତାର୍ଟାନେ କାମ୍ କର୍ବା ଲକ୍ମନ୍କେ କଇଲା, “ସତଇସେ ଏ ଡୁବନ୍ ଦେଉ ଜଅନ୍ସେ । ସେ ଆରିତରେକ୍ ଜିବନ୍ ଅଇ ଉଟି ବାଉଡି ଆଇଲାଆଚେ । ସେଟାର୍ପାଇ ତାର୍ଟାନେ କାବା ଅଇଜିବା କାମ୍ କର୍ବା ବପୁ ଆଚେ ।”
୩ ଆର୍ ଆଗ୍ତୁ ଏରଦ୍ ଜଅନ୍କେ ବାନ୍ଦ୍ବାକେ ଆଦେସ୍ ଦେଇରଇଲା ଆରି ତାକେ ସିକିଲି ସଙ୍ଗ୍ ବାନ୍ଦି, ବନ୍ଦି ଗରେ ସଙ୍ଗଇରଇଲା । ତାର୍ ବାଇ, ପିଲିପର୍ ମାଇଜି ଏରଦିଆର୍ ଲାଗି, ସେ ଏନ୍ତି କରିରଇଲା । ୪ଜଅନ୍ ତାକେ କଇରଇଲା “ତମର୍ ବଉ ଏରଦିଆକେ ବିବା ଅଇବାଟା ତମର୍ ଟିକ୍ ଅଏନାଇ ।” ୫ସେଟାର୍ପାଇ ଏରଦ୍ ଜଅନ୍କେ ମରାଇବାକେ ଜଜ୍ନା କର୍ତେରଇଲା, ମାତର୍ ସେ ଜିଉଦି ଲକ୍ମନ୍କେ ଡର୍ତେରଇଲା । କାଇକେବଇଲେ ଜିଉଦି ଲକ୍ମନ୍ ଜଅନ୍ ଗଟେକ୍ ବବିସତ୍ବକ୍ତା ବଲି ମାନ୍ତେରଇଲାଇ ।
୬ମାତର୍ ଏରଦର୍ ଜନମ୍ ପୁର୍ତି ଦିନେ ଏରଦିଆର୍ ଟକି, ଡାକାଇରଇବା ଲକ୍ମନର୍ ମୁଆଟେ ନାଟ୍ କରିରଇଲା । ୭ଏରଦ୍ ତାର୍ ଉପ୍ରେ ଏତେକ୍ ସାର୍ଦା ଅଇଲାଜେ, ସାର୍ଦା ଅଇ ପର୍ମାନ୍ ନିୟମ୍ କରି କଇଲା “ତୁଇ ଜାଇଟା ମାଙ୍ଗ୍ଲେ, ସେଟା ଦେବି !”
୮ତାର୍ ଆୟାର୍ କାତା ଦାରି ଟକି କଇଲା “ମକେ ଏବେଆକା ଡୁବନ୍ ଦେଉ ଜଅନର୍ ମୁଣ୍ଡ୍ ଗଟେକ୍ ତାଲାଇ ସଙ୍ଗଇ କରି ଦିଆ ।”
୯ଏଟା ସୁନିକରି ରାଜା ଦୁକ୍ ଅଇଗାଲା । ଏଲେମିସା ସବୁର୍ ମୁଆଟେ ନିଜେ ପର୍ମାନ୍ ନିୟମ୍ କରିରଇଲାଜେ ଟକିର୍ ମନ୍ କରିରଇବାଟା ପୁରୁନ୍ କର୍ବାକେ ଆଦେସ୍ ଦେଲା । ୧୦ସେଟାର୍ପାଇ ବନ୍ଦି ଗରେ ଜଅନର୍ ମୁଣ୍ଡ୍ କାଟା ଅଇଲା । ୧୧ଗଟେକ୍ ତାଲାଟାନେ ମୁଣ୍ଡ୍ ସଙ୍ଗଇ ଟକିକେ ଦେଲାଇ । ସେ ସେଟା ନେଇକରି ତାର୍ ମାକେ ଦେଲା ।
୧୨ତାର୍ପଚେ ଜଅନର୍ ସିସ୍ମନ୍ ଆସି ମଲା ଗାଗଡ୍ ନେଇ ତପ୍ବାକେ ଦାରିଗାଲାଇ । ସେମନ୍ ଜାଇକରି ଜିସୁକେ ଏ ବିସଇ ଜାନାଇଲାଇ ।
ଜିସୁ ପାଁଚ୍ଅଜାର୍ ଲକ୍କେ କୁଆଇବାଟା
(ମାର୍କ ୬:୩୦-୪୪; ଲୁକ୍ ୯:୧୦-୧୭; ଜଅନ୍ ୬:୧-୧୪)
୧୩ଜିସୁ ଜଅନର୍ କବର୍ ସୁନ୍ଲା ଦାପ୍ରେ ଡଙ୍ଗାଇ ଚଗ୍ଲା ଆରି ଗଟେକ୍ କିନରା ଜାଗାଇ ଗାଲା । ତେଇ ସେ ଜିବାଟା ଜାନିକରି ଲଗର୍ ପାକର୍ ସଅରେ ଅନି କେତେକ୍ କେତେକ୍ ଲକ୍ମନ୍ ଗାଡ୍ କଣ୍ଡିକଣ୍ଡି ଇଣ୍ଡି ଜିସୁର୍ ପଚେ ପଚେ ଗାଲାଇ । ୧୪ଜେଡେବେଲେ ଜିସୁ ଡଙ୍ଗାଇଅନି ଉତ୍ରି ଏତେକ୍ମାଣ୍ଡ୍ ଲକ୍ମନ୍କେ ଦେକ୍ଲା, ସେ ଦୟା କଲା । ତେଇ ଜେତ୍କି ରଗିମନ୍ ରଇଲାଇ, ସବୁକେ ନିକ କଲା ।
୧୫ସେଦିନେ ସଞ୍ଜ୍ବେଲାଇ, ସିସ୍ମନ୍ ଆସି ତାକେ କଇଲାଇ, “ବେସି ଅଲ୍ସମ୍ ଅଇଗାଲାନି । ଆରି ଏଟା ଗଟେକ୍ କିନରା ଜାଗା, ଲକ୍ମନ୍କେ କଇଦିଆସ୍, ସେମନ୍ ଗାଉଁମନ୍କେ ଜାଇ କାଦି ମିଲାଇବାଇ ।”
୧୬ମାତର୍ ଜିସୁ ସେମନ୍କେ କଇଲା, “ସେମନ୍ ଇତିଅନି ନ ଜାଅତ୍ । ତମେ ସେମନ୍କେ କାଇଟାଆଲେ କାଇବାକେ ଦିଆସ୍ ।”
୧୭ସିସ୍ମନ୍ କଇଲାଇ, “ଆମର୍ ଟାନେ ଏକାଇ ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ସେ ଆଚେ ।”
୧୮ଜିସୁ କଇଲା, “ସେଟା ମର୍ଟାନେ ଦାରିଆସା ।” ୧୯ଜିସୁ ସବୁଲକ୍କେ ଗାଁସ୍ ଉପ୍ରେ ବସାଇବାକେ କଇଲା । ସେ ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ ଦାରି ସରଗ୍ବାଟେ ଦେକି ପର୍ମେସର୍କେ ଦନିଅବାଦ୍ ଦେଲା, ଆରି ରୁଟି ବାଙ୍ଗାଇ କରି ସିସ୍ମନ୍କେ ଦେଲା । ସିସ୍ମନ୍ ସବୁଲକ୍କେ ବାଟାକରି ଦେଲାଇ । ୨୦ସେଟା ସବୁଲକ୍ କାଇକରି ସାନ୍ତି ଅଇଲାଇ । ତାର୍ପଚେ ସିସ୍ମନ୍ ଅଗ୍ଲି ରଇବା ରୁଟି ଆରି ମାଚ୍ ଟୁଲିଆଇ ବାର୍ଟା ଡାଲାଇ ବର୍ତି କଲାଇ । ୨୧ତେଇ ମାଇଜିମନ୍ ଆରି ପିଲାମନ୍କେ ଚାଡି, ସେ କାଦି ପାଁଚ୍ ଅଜାର୍ ଲକ୍ କାଇରଇଲାଇ ।
ଜିସୁ ପାନି ଉପ୍ରେ ଇଣ୍ଡ୍ଲା
(ମାର୍କ ୬:୪୫-୫୨; ଜଅନ୍ ୬:୧୫-୨୧)
୨୨ତାର୍ପଚେ ଜିସୁ ସିସ୍ମନ୍କେ ଡଙ୍ଗାଇ ବସାଇ ଗାଡ୍ ସେପାଟେ ଜିବାକେ କଇଲା । ସେ ନିଜେ ପଚେ ରଇଜାଇକରି ଲକ୍ମନ୍କେ ପାଟାଇତେ ରଇଲା । ୨୩ସେ ଏକ୍ଲାସେ ପାର୍ତନା କର୍ବାକେ ଗଟେକ୍ ଡଙ୍ଗର୍ ଉପ୍ରେ ଗାଲା ଆରି ସଞ୍ଜ୍ ଅଇବା ଜାକ ଜିସୁ ଗଟେକ୍ ଲକ୍ସେ ତେଇ ରଇଲା । ୨୪ସେଡ୍କି ବେଲେ ଡଙ୍ଗା କଣ୍ଡିଅନି ବେସି ଦୁର୍ ଗାଡ୍ ବିତ୍ରେ ଉଟିଜାଇରଇଲା । ଆରି ଜବର୍ ପବନ୍ କଲାଜେ, ଲଅଡି ଟଲ୍ମଲି ଜାଇତେରଇଲା ।
୨୫କୁକ୍ଡା ଡାକେ, ଏଦେ ଦେକା ! ଜିସୁ ପାନି ଉପ୍ରେ ଇଣ୍ଡି ଇଣ୍ଡି ସିସ୍ମନର୍ ଲଗେ ଆଇଲା । ୨୬ସିସ୍ମନ୍ ତାକେ ଦେକି କିଲ୍ବିଲ୍ ଅଇଗାଲାଇ । ଡରର୍ମାଡେ ଡୁମା ବଲି କିର୍କିର୍ଲାଇ ।
୨୭ସେ ଦାପ୍ରେସେ ଜିସୁ ସେମନ୍କେ ସାଆସ୍ ଦେଇ କଇଲା, “ମୁଇ କାଇକି, ଡରାନାଇ ।”
୨୮ଜିସୁର୍ ଏ କାତା ସୁନି ପିତର୍ କଇଲା, “ମାପ୍ରୁ ଜଦି ସତଇସେ ତମେ ଅଇରଇସା ବଇଲେ, ମକେ ପାନି ଉପ୍ରେ ଇଣ୍ଡି ଇଣ୍ଡି ତମର୍ ଲଗେ ଆଇବାକେ ଆଦେସ୍ ଦିଆ ।”
୨୯ଜିସୁ କଇଲା, “ଇଣ୍ଡି ଇଣ୍ଡି ଆଉ ।” ପିତର୍ ଡଙ୍ଗାଇଅନି ବାରଇ, ପାନି ଉପ୍ରେ ଇଣ୍ଡି ଇଣ୍ଡି ଜିସୁର୍ ବାଟେ ଆଇବାର୍ ଦାର୍ଲା । ୩୦ମାତର୍ ପବନ୍ ଜବର୍ ଆଇବାଟା ଦେକିକରି ଡରିଗାଲା ଆରି ପାନିଟାନେ ବୁଡିଜିବାର୍ ଦାର୍ଲା । ତେବେ ଆକ୍ମାରି କରି ଡାକ୍ଲା ଏ ମାପ୍ରୁ ମକେ ରକିଆ କର୍ !
୩୧ଜିସୁ ସେ ଦାପ୍ରେ, ଆତ୍ ଲାମାଇକରି ତାକେ ଦାରିକରି କଇଲା, “ଏ ଅଲପ୍ ବିସ୍ବାସ୍ କରୁ, କାଇକେ ଦୁଇମନିଆ ଅଇଲୁସ୍ନି ?”
୩୨ମାତର୍ ସେମନ୍ ଡଙ୍ଗାଇ ଚଗ୍ଲାକେ ପବନ୍ ବନ୍ଦ୍ଅଇ ଗାଲା । ୩୩ଡଙ୍ଗାଇ ରଇଲା ଲକ୍ମନ୍ ଜିସୁକେ ଜୁଆର୍ କରି କଇଲାଇ, “ତମେ ସତ୍ସେ ମାପ୍ରୁର୍ ପିଲା ।”
ଜିସୁ ଗିନେସରତେ ରଗିମନ୍କେ ନିକ କର୍ବାଟା
(ମାର୍କ ୬:୫୩-୫୬)
୩୪ଜିସୁ ଆରି ତାର୍ ସିସ୍ମନ୍ ଗାଡ୍ଲଙ୍ଗିକରି ଗିନେସରତ୍ ଜାଗାଇ କେଟ୍ଲାଇ । ୩୫ଆରି ତେଇର୍ ଲକ୍ମନ୍ ଜିସୁକେ ଚିନିକରି ଲଗେ ପାକେ ରଇବା ଚାରିବେଡ୍ତିର୍ ସବୁ ଜାଗାଇ କବର୍ ପାଟାଇଲାଇ ଆରି ରଗି ଲକ୍ମନ୍କେ ତାର୍ ଲଗେ ଆନ୍ଲାଇ । ୩୬ରଗିମନ୍ ଜିସୁର୍ ପିନ୍ଦ୍ଲା ଲୁଗାର୍ ଜାଲି ଚିଇବାକେ, ଆଦେସ୍ ଦେବାକେ, ଲକ୍ମନ୍ ତାକେ ବାବୁଜିଆକରି କଇଲାଇ । ମାତର୍ ଜେତେକ୍ଲକ୍ ସେଟା ଚିଇଲାଇ, ସବୁଲକ୍ ନିକଅଇଲାଇ ।