ସରଗ୍ ରାଇଜେ ସବୁର୍ଟାନେଅନି କେ ବଡ୍
(ମାର୍କ ୯:୩୩-୩୭; ଲୁକ୍ ୯:୪୬-୪୮)
୧ ସେ ବେଲେ ସିସ୍ମନ୍ ଜିସୁକେ ପାଚାର୍ଲାଇ, “ସରଗ୍ ରାଇଜେ ସବୁର୍ଟାନେଅନି କେ ବଡ୍ ?” ୨ଜିସୁ ଗଟେକ୍ ସାନ୍ ପିଲାକେ ଡାକି ସେମନର୍ ଲଗେ ଟିଆକରାଇ କଇଲା, ୩ “ମୁଇ ତମ୍କେ ସତ୍ କଇଲିନି, ତମର୍ ମନ୍ ବାଦ୍ଲାଇ ସାନ୍ ପିଲାମନର୍ ପାରା ନ ଅଇଲେ ସରଗ୍ ରାଇଜେ କେବେ ପୁରି ନାପାରାସ୍ । ୪ଜେ ନିଜ୍କେ ସୁଆଲ୍ କରି ସାନ୍ ପିଲାପାରା ଅଇସି, ସେ ସରଗ୍ ରାଇଜେ ସବୁର୍ଟାନେଅନି ବଡ୍, ୫ଆରି, ଜେକି ମର୍ ନାଉଁ ଦାରି ଏ ସାନ୍ ପିଲାକେ ନାମ୍ସି, ସେ ମକେ ମିସା ନାମ୍ସି ।”
ବିସ୍ବାସେ ବିସ୍
(ମାର୍କ ୯:୪୨-୪୮; ଲୁକ୍ ୧୭:୧-୨)
୬“ମର୍ତେଇ ବିସ୍ବାସ୍ କର୍ତେ ରଇବା ଏ ସାନ୍ ପିଲାମନର୍ ବିତ୍ରେଅନି ଗଟେକ୍ ଲକ୍ କେ ଆଲେ ବିସ୍ବାସେ ବାଦା ଗଟାଇସି ବଇଲେ, ତାର୍ ଗାଲାଇ ଜତା ପାକ୍ନା ବାନ୍ଦିକରି ତାକେ ସମ୍ଦୁରେ ବୁଡାଇଦେବାଟା ନିକ ଅଇସି । ୭ଲକ୍ମନର୍ ବିସ୍ବାସେ ବାଦା ଗଟାଇବାକେ ବେସି ବିସଇ ଆଚେ । ସେଟାର୍ ପାଇ ଏ ଜଗତର୍ ଦସା ବଡେ ଇନସ୍ତା । ସବୁ ବେଲେ ଏନ୍ତି ବାଦା ଆଇସି, ମାତର୍ ଜେ ବାଦା ଗଟାଇସି, ତାର୍ ଦସା କେଡେ ଇନସ୍ତା ଅଇସି !”
୮ “ଜଦି ତମେ ତମର୍ ଆତ୍ ନଇଲେ ପାଦର୍ ଲାଗି ବିସ୍ବାସ୍ ଆରାଇଲାସ୍ନି, ତେବେ ସେଟା କାଟି ପିଙ୍ଗି ଦିଆସ୍ । ଜଡେକ୍ ପାଦ୍ ଆରି ଜଡେକ୍ ଆତ୍ ରଇ ସବୁବେଲେ ଲାଗି ରଇବା ଜଏ ପିଙ୍ଗାଇ ଅଇବା ବାଦୁଲେ ଗଟେକ୍ ପାଦ୍ ନଇଲେ ଗଟେକ୍ ଆତ୍ ନ ରଇ, ନ ସାର୍ବା ଜିବନେ ପୁର୍ବାଟା କେଡେ କରମର୍ କାତା । ୯ ଜଦି ତମର୍ ଆଁକିର୍ ଲାଗି ତମେ ବିସ୍ବାସ୍ ଆରାଇଲାସ୍ନି ବଇଲେ ତାକେ ବେଟି ପିଙ୍ଗି ଦିଆସ୍ । ଜଡେକ୍ ଆଁକି ରଇ ନର୍କେ ପିଙ୍ଗାଇଅଇବା ବାଦୁଲେ ଗଟେକ୍ ଆଁକି ରଇ ନ ସାର୍ବା ଜିବନେ ପୁର୍ବାଟା କେଡେ କରମର୍ କାତା ଅଇସି ।”
ଆଜିରଇବା ମେଣ୍ଡା
(ଲୁକ୍ ୧୫:୩-୭)
୧୦ ଏ ସାନ୍ ପିଲାମନର୍ ବିତ୍ରେ ଅନି ଗଟେକ୍କେ ମିସା ଇନ୍କରା ନାଇ । ମୁଇ ତମ୍କେ କଇଲିନି, ଏ ମନର୍ ଜତନ୍ ନେଇତେ ରଇବା ସରଗର୍ ଦୁତ୍ମନ୍ ସବୁ ବେଲା ମର୍ ବାବାର୍ ଲଗେ ଆଚତ୍ ।
୧୧କାଇକେ ବଇଲେ ବାଟ୍ ବାନା ଅଇଲା ଲକ୍ମନ୍କେ କଜି ରକିଆ କର୍ବାକେ ନର୍ପିଲା ମୁଇ ଆଇଲିଆଚି ।
୧୨ତମେ କାଇଟା ବାବ୍ଲାସ୍ନି, ଜଦି ଗଟେକ୍ ଲକର୍ ସଏଟା ମେଣ୍ଡା ରଇସି ଆରି ସିତିଅନି ଗଟେକ୍ ଆଜି ଜାଇସି, ତେବେ ସେ କାଇଟା କର୍ସି ? ନବେ ନଅଟା ମେଣ୍ଡାକେ ଡଙ୍ଗରେ ଚାର୍ବାକେ ଚାଡିଦେଇ ସେ ଆଜ୍ଲା ମେଣ୍ଡାକେ କଜ୍ବାର୍ ବାରଇସି । ୧୩ମୁଇ ତମ୍କେ ସତ୍ କଇଲିନି, ଜେଡେବଲ୍ ସେ ମେଣ୍ଡା ମିଲାଇସି, ଆଜି ନ ରଇଲା ନବେ ନଅଟା ମେଣ୍ଡାର୍ ପାଇ ତାର୍ ଜେତ୍କି ସାର୍ଦା, ଏ ଗଟେକ୍ ମେଣ୍ଡାର୍ ପାଇ ସେ ଅଦିକ୍ ସାର୍ଦା ଅଇସି । ୧୪ସମାନ୍ ସେନ୍ତି ସେ, ଏ ସାନ୍ ପିଲାମନର୍ ତେଇ ଅନି ଗଟେକ୍ ଲକ୍ ମିସା ବାଟ୍ ବାନା ଅଅତ୍, ଏଟା ତମର୍ ସରଗର୍ ବାବା ମନ୍ କରେ ନାଇ ।
ଗଟେକ୍ ବାଇ ତମର୍ ବିରୁଦେ ପାପ୍ କଲେ
୧୫ “ଜଦି ତମର୍ ବାଇ ତମର୍ ବିରୁଦେ ପାପ୍ କର୍ସି, ତାର୍ ଲଗେ ଜାଇ ତାର୍ ପାପ୍ ତାକେ ଦେକାଇ ଦିଆସ୍ । ମାତର୍ ତମେ ଦୁଇ ଲକ୍ ରଇଲା ବେଲେ ଏଟା ଲୁଚ୍ତେ କରା । ଜଦି ସେ ତମର୍ କାତା ସୁନ୍ସି, ତମର୍ ବାଇକେ ତମେ ଆରି ତରେକ୍ ପାଇସା । ୧୬ଆରି ଜଦି ସେ ନ ସୁନ୍ଲେ, ଗଟେକ୍ ଲକ୍କେ ନଇଲେ ଦୁଇ ଲକ୍କେ ଡାକି ନେଇ ତାର୍ ଲଗେ ଜାଆ । ଆମର୍ ସାସ୍ତର୍ ନିୟମ୍ ଇସାବେ, ଦୁଇଟା ନଇଲେ ତିନ୍ଟା ସାକିର୍ ମୁଆଟେ ତମର୍ ଦାବି ସତ୍ ବଲି ଜାନା ପଡ୍ସି । ୧୭ଏଲେ ମିସା ଜଦି ସେ ତମର୍ କାତା ନ ସୁନେ, ମଣ୍ଡଲିତେଇ ଜାନାଇ ଦିଆସ୍ । ସାରାସାରି ଜଦି ମଣ୍ଡଲିର୍ କାତା ମିସା ନ ସୁନେ ବଇଲେ, ତାକେ ଗଟେକ୍ ସିସ୍ତୁମାଙ୍ଗୁ, ବିସ୍ବାସ୍ ନ କର୍ବା ଲକ୍ ବଲି ବାବିକରି, ତାର୍ ସଙ୍ଗ୍ ମିଲାମିସା କର୍ବାଟା ଚାଡି ଦିଆସ୍ ।
ଜଗତର୍ ଆରି ସରଗର୍ ବିସଇ
୧୮ “ମୁଇ ତମ୍କେ ସତ୍ କଇଲିନି, ତମେ ଏ ଜଗତେ ଜାଇଟା ନାଇ ବଲ୍ସା, ସେଟା ସର୍ଗେ ମିସା ନାଇ ଅଇସି । ଆରି ଜନ୍ଟା ପାଇ ତମେ ଜଗତେ ଉଁ କଇସା, ସେଟା ସର୍ଗେ ମିସା ଉଁ ଅଇସି । ୧୯କାଲି ସେତ୍କି ନଏଁ, ମୁଇ ତମ୍କେ ସତ୍ କଇଲିନି, ଜେଡେବେଲେ ମିସା ଏ ଜଗତେ ତମେ ଦୁଇ ଲକ୍ ଜନ୍ ବିସଇ ନେଇକରି ଗଟେକ୍ ମନ୍ ଅଇକରି ପାର୍ତନା କଲେ, ମର୍ ସରଗର୍ ବାବା ତମେ ମାଙ୍ଗ୍ଲାଟା ପୁରୁନ୍ କର୍ସି । ୨୦କାଇକେ ବଇଲେ ଜନ୍ତି ଦୁଇ କି ତିନ୍ ଲକ୍ ରୁଣ୍ଡିକରି ମର୍ ନାଉଁ ଦାର୍ବାଇ, ତେଇ ମୁଇ ଆଚି ।”
କେମା ନ ଦେଇରଇଲା ଦାଙ୍ଗ୍ଡା
୨୧ ଦିନେକ୍ ପିତର୍ ଜିସୁର୍ ଲଗେ ଆସି ପାଚାର୍ଲା, “ମାପ୍ରୁ, ଗଟେକ୍ ବାଇ ମର୍ ବିରଦେ ତର୍କେ ତର୍ ଦସ୍ କର୍ତେ ରଇଲେ, ତାକେ ମୁଇ କେତେ ତର୍ କେମା କର୍ବି ? କାଇ ସାତ୍ ତର୍ କି ?”
୨୨ଜିସୁ କଇଲା, “ନାଇ ସାତ୍ ତର୍ ନାଇ । ସାତ୍ ତରର୍ ସତୁରି ଗୁନ୍ । ୨୩ସରଗ୍ ରାଇଜର୍ ଆରି ଗଟେକ୍ କାତା ସୁନ୍ । ଗଟେକ୍ ରାଜା ଦିନେକ୍ ତାର୍ଟାନେ କାମ୍କରୁମନ୍ ରୁନ୍ ନେଇରଇବାଟା ଇସାବ୍ କିତାବ୍ କର୍ବାକେ ମନ୍ କଲା । ୨୪ସେ ଇସାବ୍ କର୍ବାବେଲେ ତାର୍ଟାନେ ଗଟେକ୍ କାମ୍ କରୁ ଲାକ୍ ଲାକ୍ ଟାଙ୍ଗା ରୁନ୍ ନେଇରଇଲା ଲକ୍କେ ରାଜାର୍ ଲଗେ ଆନ୍ଲାଇ । ୨୫ରୁନ୍ ସୁଜ୍ବାକେ ସେ ଲକର୍ଟାନେ ସେତ୍କି ବପୁ ନ ରଇଲା । ତେବର୍ପାଇ ରୁନ୍ ବାନ୍ଦ୍ବାକେ ବଲି ତାର୍ଟାନେ ଜେତ୍କି ରଇଲାଟା ବିକିକରି ତାକେ, ତାର୍ ମାଇଜିକେ ଆରି ତାର୍ ପିଲାଟକିମନ୍କେ ଗତି ଇସାବେ ବିକିଦେବାକେ ରାଜା ଆଦେସ୍ ଦେଲା ।” ୨୬କାମ୍ କରୁ ରାଜାର୍ ପାଦ୍ତଲେ ଅଦ୍ରି ଗୁଆରି କରି କଇଲା “ ଆଗିଆଁ ଆରି କେତେଦିନ୍ ଜାଗା, ମୁଇ ତମର୍ ସବୁଜାକ ରୁନ୍ ସୁଜିଦେବି ।” ୨୭ରାଜା ତାକେ ଦୟା କଲା । ତେବର୍ପାଇ ତାକେ କେମା କରି ରୁନ୍ ନ ବାନ୍ଦାଇ ଚାଡିଦେଲା ।
୨୮ମାତର୍ ସେ ଗତି ବାରଇ ଜାଇ ତାର୍ତେଇ ଅନି ପଚାସ୍ ଟାଙ୍ଗା ରୁନ୍ କରି ରଇବା ଗଟେକ୍ ମିସ୍ତେ ରଇବା ଗତିଦାଙ୍ଗ୍ଡାକେ ଦାରି ତାର୍ ଟଟ୍ରି ପିଚକ୍ବାର୍ ଦାର୍ଲା, “ମର୍ତେଇଅନି ନେଇ ରଇଲା ସବୁ ଡାବୁ ବାଉଡାଇ ଦେ ।”
୨୯ସେ ଗତି ଦାଙ୍ଗ୍ଡା ତାର୍ ଗଡେଦାରି ବାବୁଜିଆ କରି କଇଲା, “ସାଆସ୍ ଦାରା, ତମର୍ ସବୁ ଡାବୁ ସୁଜି ଦେବି ।”
୩୦ମାତର୍ ପର୍ତୁମ୍ ଲକ୍, ସେ ଗୁଆରି କଲାଟା ସୁନେ ନାଇ, ରୁନ୍ ସୁଜ୍ବା ଜାକ ତାକେ ବନ୍ଦି ଗରେ ପୁରାଇ ସଙ୍ଗଇବାକେ ତିଆର୍ଲା । ୩୧ଏଟା ଅଇଲାଟା ଦେକି ବିନ୍ କାମ୍ କରୁମନ୍ ଦୁକ୍ କଲାଇ । ସେମନ୍ ରାଜାର୍ ଲଗେ ଜାଇ ଜନ୍ ଜନ୍ଟା ଅଇରଇଲା, ସବୁ ଜାନାଇଲାଇ । ୩୨ରାଜା ପର୍ତୁମ୍ କାମ୍ କରୁକେ ଡାକାଇ କଇଲା, “ ଅଇରେ ମୁର୍କ ଦାଙ୍ଗ୍ଡା, ତୁଇ ଗୁଆରି କଲୁସ୍ ଜେ ମୁଇ ତର୍ ସବୁ ରୁନ୍ ଚାଡି ଦେଲି । ୩୩ମୁଇ ଜେନ୍ତି ତକେ ଦୟା କଲି, ତୁଇ ମିସା ତର୍ ସଙ୍ଗର୍ କାମ୍ କରୁକେ ଦୟା କର୍ବାର୍ ରଇଲା ।” ୩୪ରାଜା ବେସି ରିସା ଅଇଗାଲା ଆରି ସବୁ ଜାକ ରୁନ୍ ନ ସୁଜ୍ବା ଜାକ ଡଣ୍ଡ୍ ପାଅ ବଲି ତାକେ ବନ୍ଦି ଗରେ ପାଟାଇ ଦେଲା ।
୩୫ଜିସୁ ଏ କାତା କଇସାରାଇ କଇଲା, “ତମର୍ ବିରୁଦେ ଦସ୍ କରି ରଇବା ବାଇମନ୍କେ ମନ୍ ବିତ୍ରେଅନି ଜଦି କେମା ନ ଦିଆସ୍, ତେବେ ମର୍ ସରଗର୍ ବାବା ମିସା ତମ୍କେ ଏନ୍ତାରିସେ କର୍ସି ।”